$57
ସାବିତ୍ରୀ କଥା
ସାବିତ୍ରୀ କଥା
ଭଗବାନ କେବଳ ଜଗତ ସହିତ ଜଡିତ ନୁହନ୍ତି,
ବରଂ ସେ ଭକ୍ତ ଙ୍କ ଶୁଦ୍ଧ ଆତ୍ମା ଦ୍ୱାରା ଆକର୍ଷିତ ହୁଅନ୍ତି ॥
ଭାରତୀୟ ସଂସ୍କୃତି ରେ ସାବିତ୍ରୀ ଏକ ଐତିହାସିକ ବ୍ୟକ୍ତିତ୍ୱ ଭାବରେ ପରିଗଣିତା । ସାବିତ୍ରୀଙ୍କର ଅର୍ଥ ହେଉଛି ବେଦ ମାତା, ଗାୟତ୍ରୀ ଏବଂ ସରସ୍ବତୀ । କିମ୍ବଦନ୍ତୀ ଅନୁଯାୟୀ, ମଦ୍ରଦେଶ ର ରାଜା ଅଶ୍ଵପତି ଙ୍କର କୌଣସି ସନ୍ତାନ ନଥିଲେ, ସେ ସନ୍ତାନ ଇଛା ରେ ସୂର୍ଯ୍ୟ ଦେବ ଙ୍କୁ ପ୍ରସନ୍ନ ପାଇଁ ଯଥାବିଧ ଯଜ୍ଞ ତଥା ମନ୍ତ୍ର ଜପ କରିଥିଲେ, ଏବଂ ଏହା ଅଠର ବର୍ଷ ଧରି ଚାଲିଥିଲା । ଏହାପରେ ସୂର୍ଯ୍ୟଦେବ ଦର୍ଶନ ଦେଇ ବର ପ୍ରଦାନ ସ୍ୱରୂପ କହିଲେ; ହେ ରାଜନ, ତୁମେ ଶୀଘ୍ର ଏକ ସୁନ୍ଦର କନ୍ୟା ପାଇବ । ସୂର୍ଯ୍ୟ ଦେବ ଙ୍କ କୃପା ହେତୁ, ଝିଅ ଟି ସାବିତ୍ରୀ ନାମ ରେ ପରିଚିତ ହେଲା ।
ସାବିତ୍ରୀ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ ଥିଲେ । ମାତ୍ର ପିତା ଅଶ୍ୱପତି ଦୁଃଖି ଥିଲେ ଯେ ସେ ସାବିତ୍ରୀଙ୍କ ପାଇଁ ଉପଯୁକ୍ତ ପତି ପାଇନଥିଲେ । ସେ ତାଙ୍କୁ ନିଜପାଇଁ ପତି ଖୋଜିବା ନିମନ୍ତେ ପଠାଇଲେ । ଏକଦା ସାବିତ୍ରୀ ନିଜ ସଖୀଙ୍କ ସହ ବନବିହାର ସମୟ ରେ ଏକ ଦିବ୍ୟ ଯୁବକଙ୍କୁ ଦେଖି ବିମୋହିତ ହେଲେ ; ସେ ଥିଲେ ଶାଲ୍ୱ ଦେଶ ର ପୁରାତନ ନୃପତି (ରାଜ୍ୟହୀନ ଏବଂ ଚକ୍ଷୁହୀନ) ଦ୍ୟୁମତ୍-ଶେନଙ୍କ ପୁତ୍ର ସତ୍ୟବାନ ।
ସତ୍ୟବାନ ଥିଲେ, ଅଳ୍ପୟୁ ମାତ୍ର; ବେଦାଦିବିଦ୍ୟା ରେ ନିପୁଣ ଥିଲେ। ସାବିତ୍ରୀ ତାଙ୍କୁ ଦେଖିବା କ୍ଷଣି ନିଜର ପତି ରୂପେ ମନୋନୀତ କରି ନିଜ ପିତାଙ୍କୁ ଜଣାଇଲେ । ଏଥୁଅନ୍ତେ ଦେବର୍ଷି ନାରଦ ସତ୍ୟବାନ ଙ୍କ ଆୟୁ କଥା ରାଜା ଏବଂ କନ୍ୟା ସାବିତ୍ରୀ ଙ୍କୁ ଜଣାଇ ବିବାହ ପାଇଁ ବାରଣ କରିଥିଲେ; ସତ୍ୟ ଜାଣିବା ସତ୍ୱେ ସାବିତ୍ରୀ ସତ୍ୟବାନ ଙ୍କୁ ବିବାହ କରିଥିଲେ । ଯେତେବେଳେ ପତି ସତ୍ୟବାନ ଙ୍କ ମୃତ୍ୟୁ ସମୟ ସନ୍ନିକଟ ପ୍ରାୟ, ସାବିତ୍ରୀ ଅନେକ ଜପ ତପ କରିଥିଲେ ମାତ୍ର ସବୁ ବିଫଳ ହେଲା ।
ସମୟ ଗାଡି ଚାଲିଲା, ମୃତ୍ୟୁ ପଥରେ ସ୍ୱାମୀ ଅଗ୍ରସର ହୁଅନ୍ତେ କଠୋର ବ୍ରତ ଓ ନିଜର ସତୀତ୍ୱ ବଳରେ ସାବିତ୍ରୀ ମୃତ୍ୟୁଦେବ ଯମ ଙ୍କ ଦର୍ଶନ ପାଇଲେ । ଯମ ଙ୍କ ବାରମ୍ବାର ପ୍ରତ୍ୟାଖନ ସତ୍ୱେ ସାବିତ୍ରୀ ନିଜ ପତି ଙ୍କୁ ନଛାଡ଼ି ପୁନଃ ଜୀବିତ କରିବାକୁ ନିଷ୍ଠା ପୁର୍ଣ୍ଣ ଯୁକ୍ତି ରେ ପ୍ରାର୍ଥନା କଲେ । ଜଣେ ନାରୀର ଅଦମ୍ୟ ନିଷ୍ଠା, ସତୀତ୍ଵ, ଦୃଢ଼ ଯୁକ୍ତି ଓ ପ୍ରଖର ବୁଦ୍ଧିରେ ଖୁସି ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କଲେ ଯମରାଜ ଏବଂ ତତ୍ସହିତ ସାବିତ୍ରୀ ସତିତ୍ୱ ଲାଭ କରି ଶ୍ୱଶୁରଙ୍କ ନିମନ୍ତେ ସୁସ୍ଥଚକ୍ଷୁ ତଥା ଲୁଣ୍ଠିତ ରାଜ୍ୟ ର ପୁନଃରୁଦ୍ଧାର କରିବା ସହିତ ନିଜ ପିତାଙ୍କର ଶତପୁତ୍ର ଓ ନିଜେ ମଧ୍ୟ ଶତପୁତ୍ର ଙ୍କ ଜନନୀ ହେବାପାଇଁ ବରଲାଭ କରିଥିଲେ । ଏହି ବିଷୟ ମହାଭାରତ ର ବନ ପର୍ବ ରେ "ଯୁଧିଷ୍ଠିର-ମାର୍କଣ୍ଡେୟ ସମ୍ବାଦ" ରେ ବର୍ଣ୍ଣିତ ।
କୁହାଯାଏ ଯେ ପୂର୍ବ ର ଶାଲ୍ୱ ଦେଶ ରାଜସ୍ଥାନ ର ଅଲୱାର ଅଞ୍ଚଳ ରେ ଅବସ୍ଥିତ ।
Subscribe to:
Posts (Atom)








0 comments: